ଓଡ଼ିଶାର ଏକ ପ୍ରାଚୀନ ତଥା ପବିତ୍ର ରାମଲୀଳା ମହୋତ୍ସବ | ଆପଣଙ୍କୁ ସ୍ଵାଗତ
FONT:

ଶ୍ରୀ ରାମଲୀଳା ନାଟ୍ୟ ସଂସଦ କ’ଣ?

ଦିନ ଗଡି ଯାଏ, ବର୍ଷ ସରିଯାଏ । ସମୟ ଚକ୍ରରେ ସବୁକିଛି ଚିରକାଳ ପାଇଁ ନିଶ୍ଚିହ୍ନ ହୋଇଯାଏ ।ହେଲେ ସେହି ଜଣଙ୍କ ଆଗରେ ହାର ମାନିଥାଏ ସମୟ ।ନତମସ୍ତକ ହୋଇ ତାର ସ୍ମୃତି କୁ ସବୁଦିନ ପାଇଁ ଉତ୍ତରପିଢି ଆଗରେ ବଖାଣୁଥାଏ । ସେହି ଅପରାଜେୟ ବ୍ୟକ୍ତିତ୍ଵ ହେଉଛି କଳାକାର । ସର୍ବଗ୍ରାସୀ ସମୟର ସ୍ରୋତରେ ସିନା ମଞ୍ଚ ଉପରୁ କିମ୍ବା ଇହଧାମରୁ କଳାକାର ଟିଏ ସବୁଦିନ ପାଇଁ ବିଦାୟ ନେଇଯାଏ, ହେଲେ ତାର କଳା ଓ ଅଭିନୟ ଚିରଦିନ ପାଇଁ ସତେଜ ହୋଇ ରହି ଯାଇଥାଏ । ବର୍ଷ ପରେ ବର୍ଷ ଗଡି ଚାଲୁଥାଏ, ହେଲେ କଳାକାର ଅଭିନୟ ସବୁବେଳେ କାଲି ପରିକା ଲାଗୁଥାଏ । ଏଇ ଯେମିତି ଆମ ଅନୁଷ୍ଠାନ ଶ୍ରୀଶ୍ରୀ ରାମଲୀଳା ନାଟ୍ୟ ସଂସଦ , କୁଶପଙ୍ଗୀ। କଟକ ଜିଲ୍ଲା ବାଙ୍କୀ - ଡମପଡ଼ା ବ୍ଲକ୍ ଅନ୍ତର୍ଗତ କୁଶପଙ୍ଗୀ ଗ୍ରାମର ଏହି ସାଂସ୍କୃତିକ ଅନୁଷ୍ଠାନ। ଇଂରେଜ ଶାସନ କାଳରୁ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନର ଅନେକ କଳାକାର ଇହଧାମରୁ ବିଦାୟ ନେଲେଣି । ଅନେକ ମଞ୍ଚରୁ ସେବାନିବୃତ ହେଲେଣି । କିନ୍ତୁ ଆଜି ବି ଅନୁଷ୍ଠାନ ନୂଆ ଯୁବପିଢି ଙ୍କୁ ଧରି ଅଭିନୟର ଯାଦୁରେ ସମଗ୍ର ଅଞ୍ଚଳକୁ ଉଦଦ୍ଭାସିତ କରୁଛି ।

୧୯୪୨ ମସିହାର କଥା । ଗାନ୍ଧିଜୀଙ୍କ ନେତୃତ୍ବରେ ସ୍ଵାଧୀନତା ଆନ୍ଦୋଳନ ଅନ୍ତିମ ପର୍ଯ୍ୟାୟ ଆଡ଼କୁ ଯାଉଥାଏ । ସେହି ସମୟରେ ଡମପଡ଼ାଗଡର ରାଜା ଅମର ବୀରବର ଭ୍ରମରସିଂହ ରାୟଙ୍କ ପ୍ରୋତ୍ସାହନରେ ଆରମ୍ଭ ହୋଇଥିଲା ରାମଲୀଳା ନାଟ୍ୟ ସଂସଦ। ଗ୍ରାମର ମଧ୍ୟଭାଗ ଶ୍ରୀଶ୍ରୀ ରଘୁନାଥ ଦେବ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ରାମାୟଣ କଥାବସ୍ତୁକୁ ଆଧାର କରି ଗ୍ରାମର କଳାକାରମାନେ ମଞ୍ଚସ୍ଥ କରିଥିଲେ ରାମଲୀଳା । ଗ୍ରାମର ମୁଖିଆ ସ୍ୱର୍ଗତଃ ଇଶ୍ଵର ମତଗଜ୍ ସିଂ ଓ ସ୍ୱର୍ଗତଃ ବାଞ୍ଚ୍ଚାନିଧି ମହାପାତ୍ରଙ୍କ ସହଯୋଗରେ ସ୍ୱର୍ଗତଃ ଲୋକନାଥ ଲେଙ୍କା ଓ ବଙ୍କିମ ବିହାରୀ ନାୟକ ପ୍ରମୁଖଙ୍କ ନେତୃତ୍ୱରେ ଏହି ସାଂସ୍କୃତିକ ଅନୁଷ୍ଠାନର ଶୁଭାରମ୍ଭ ହୋଇଥିଲା । ମହାନଦୀ ଓ ଚନ୍ଦକା ଜଙ୍ଗଲ ମଧ୍ୟବର୍ତ୍ତୀ ଏହି ଗ୍ରାମର ପରିଚୟ କହିଲେ ଶ୍ରୀଶ୍ରୀ ରାମଲୀଳା ନାଟ୍ୟ ସଂସଦ କୁ ହିଁ ବୁଝାଏ। ସମୟ ବଦଳିବା ସହ ଆଧୁନିକତାର ଚାକଚକ୍ୟ ଏବେ ସମାଜକୁ ଗ୍ରାସ କରି ଚାଲିଛି । ହେଲେ ତାରି ମଧ୍ୟରେ ବଞ୍ଚି ରହିଛି ଏହି ଅନୁଷ୍ଠାନ ।

ସମୟକ୍ରମେ ଅନୁଷ୍ଠାନର ପୁରୋଧାମାନେ ମଧ୍ୟ ବିଦାୟ ନେଇଛନ୍ତି ।୧୯୮୯ ମସିହାରୁ ଶ୍ରୀଯୁକ୍ତ ଦାମୋଦର ଲେଙ୍କା ଓ ଶ୍ରୀଯୁକ୍ତ ବିଭୁ ପ୍ରସାଦ ନାୟକଙ୍କ ତତ୍ବାବଧାନରେ ଏହି ଅନୁଷ୍ଠାନ ଦୀର୍ଘ ୩୦ବର୍ଷ ଧରି ପୌରାଣିକ ଓ ସାମାଜିକ ନାଟକ ପରିବେଷଣ କରି ସମଗ୍ର ବାଙ୍କୀ ଅଞ୍ଚଳରେ ସୁନାମ ଅର୍ଜନ କରିପାରିଛି । ୨୦୧୯ ମସିହାରେ ଶ୍ରୀଯୁକ୍ତ ଦାମୋଦର ଲେଙ୍କାଙ୍କ ଦେହାନ୍ତ ପରେ ଏବେ ଡ଼.ସ୍ମୃତି ରଞ୍ଜନ ଲେଙ୍କା ଓ ଶ୍ରୀଯୁକ୍ତ ବିଭୁପ୍ରସାଦ ନାୟକଙ୍କ ନେତୃତ୍ବରେ ଅନୁଷ୍ଠାନ ପରିଚାଳିତ ହେଉଛି। ମଞ୍ଚ କଳା ସହିତ ବୃକ୍ଷରୋପଣ ଭଳି ମହତ କାର୍ଯ୍ୟକୁ ମଧ୍ୟ ବ୍ରତ ଭାବରେ ଗ୍ରହଣ କରି ନେଇଛି ଅନୁଷ୍ଠାନ।।।

ଆମର ଲକ୍ଷ୍ୟ (Our Mission)

  • ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କର ଆଦର୍ଶ ଏବଂ ମୂଲ୍ୟବୋଧକୁ ଆଧୁନିକ ସମାଜରେ ପହଞ୍ଚାଇବା।
  • ଆଗାମୀ ଯୁବପିଢ଼ିଙ୍କ ମଧ୍ୟରେ ଆମର ପ୍ରାଚୀନ ସଂସ୍କୃତି ଓ ପରମ୍ପରା ପ୍ରତି ଆଗ୍ରହ ସୃଷ୍ଟି କରିବା।
  • ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭା ଏବଂ କଳାକାରମାନଙ୍କୁ ଏକ ଉପଯୁକ୍ତ ମଞ୍ଚ ପ୍ରଦାନ କରିବା।
  • ସମାଜରେ ନ୍ୟାୟ, ସତ୍ୟ ଏବଂ ଭାଇଚାରାର ବାର୍ତ୍ତା ପ୍ରସାର କରିବା।

ସାମାଜିକ ପ୍ରଭାବ (Social Impact)

ଆମର ଏହି ପ୍ରୟାସ କେବଳ ଏକ ନାଟକ ନୁହେଁ, ବରଂ ଗାଁ ଲୋକଙ୍କୁ ଏକାଠି କରିବାର ଏକ ମାଧ୍ୟମ। ରାମଲୀଳା ଆୟୋଜନ ସମୟରେ ଗାଁରେ ଏକ ଆଧ୍ୟାତ୍ମିକ ଏବଂ ଆନନ୍ଦମୟ ପରିବେଶ ସୃଷ୍ଟି ହୁଏ।

ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଗ୍ରାମବାସୀ ଏକଜୁଟ ହୋଇ ଏହି ମହୋତ୍ସବରେ ସହଯୋଗ କରନ୍ତି। ଏହାଦ୍ୱାରା ଗାଁରେ ଏକତା ବୃଦ୍ଧି ପାଇବା ସହ ଆପୋଷ ବୁଝାମଣା ଆହୁରି ସୁଦୃଢ଼ ହୋଇଥାଏ। ସମସ୍ତେ ମିଶି କାମ କରିବା ଆମ ସଂସଦର ସବୁଠାରୁ ବଡ଼ ସଫଳତା।

ସମ୍ପୂର୍ଣ୍ଣ ଇତିହାସ ପଢ଼ନ୍ତୁ →